ଜନମାନସରେ ଶଙ୍ଖଚିଲା ହିଙ୍ଗୁଳା ପୀଠ
ଜନମାନସରେ ଶଙ୍ଖଚିଲା ହିଙ୍ଗୁଳା ପୀଠ
ଯାଜପୁର ରୋଡ ସହରର ଦକ୍ଷିଣ ପୂର୍ବ ପ୍ରାୟ ୫କି.ମି. ଦୂର ଓ ୧୬ନମ୍ବର ଜାତୀୟ ରାଜପଥ ହାଟ ସାହି ଟିକର ଛକର ପଶ୍ଚିମକୁ ପ୍ରାୟ ୬କି.ମି. ଦୂରରେ ଶଙ୍ଖଚିଲାର ହିଙ୍ଗୁଳା ପୀଠ ଅବସ୍ଥିତ । ଓଡିଶାର ପ୍ରସିଦ୍ଧ ଦେବୀ ପୀଠ ମାନଙ୍କ ମଧ୍ୟରେ ଶଙ୍ଖଚିଲାର ମା’ ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । ଏହା ଯାଜପୁର ଜିଲ୍ଲାର ଦ୍ଵିତୀୟ ପ୍ରସିଦ୍ଧ ଦେବୀ ପୀଠ । ପୁରାଣ ଅନୁଯାୟୀ ମା’ ହିଙ୍ଗୁଳା ବିନ୍ଧ୍ୟ ବାସିନୀ ଅଟନ୍ତି । କିନ୍ତୁ ଆମ ଜାଣିବାରେ ମା' ହିଙ୍ଗୁଳାଙ୍କର ଆଦ୍ୟ ପୀଠ ହେଉଛି ଅନୁଗୁଳ ଜିଲ୍ଲାର ତାଳଚେର ସହର । କ୍ରମେ ମା'ଙ୍କର ଆବିର୍ଭାବ ହୁଏ ବର୍ତ୍ତମାନ ଶଙ୍ଖଚିଲାର ହିଙ୍ଗୁଳା ପୀଠରେ ।
ଶଙ୍ଖଚିଲାରେ ମା' ହିଙ୍ଗୁଳାଙ୍କ
ଆବିର୍ଭାବର କାହାଣୀ ବଡ ରହସ୍ୟମୟ । ୧୯୨୯ ମସିହା ବୈଶାଖ ମାସରେ ମା'ଙ୍କର
ଆବିର୍ଭାବ ହୋଇଥିଲା । ମଠପାଟଣା ଗ୍ରାମର ହରିସାହୁ ତାଳଚେରକୁ ବଳଦ ପିଠିରେ ବ୍ୟବସାୟ ଦ୍ରବ୍ୟ
ନେଇ ବ୍ୟବସାୟ କରିବାକୁ ଯାଇଥିଲେ । ଫେରିଲା ବେଳେ ସେଇ ବଳଦ ମାଧ୍ୟମରେ ମା' ହିଙ୍ଗୁଳା ତାଳଚେରରୁ ଶଙ୍ଖଚିଲାକୁ ଆସିଥିଲେ । ଠାକୁରପାଟଣା ଗ୍ରାମର ପରୀକ୍ଷିତ ଦାସ
ନାମଙ୍କ ଜଣେ ବ୍ୟକ୍ତି ଏକ ବଟବୃକ୍ଷ ରୋପଣ କରିଥିଲେ । ବର୍ତ୍ତମାନ ଜାଗାର ସେଇ ବଟବୃକ୍ଷକୁ ମା'
ତାଙ୍କର ବିଜେସ୍ଥଳୀ ରୂପେ ବାଛି ନେଇଥିଲେ । ତେଣୁ ମା' ହିଙ୍ଗୁଳା ବଟ ବୃକ୍ଷ ବାସିନୀ । ସେ ବଟ ବୃକ୍ଷ ବାସିନୀ ହେଇନଥିଲେ ସେ ବଟବୃକ୍ଷକୁ
ଆଦରି ନଥାନ୍ତେ । ସେତେବେଳେ ସେଠାରେ ବିଭିନ୍ନ ବୃକ୍ଷ ଥିବାର ଜଣାଯାଏ ।
୧୯୨୯ ମସିହା ବୈଶାଖ ମାସ ୬ ଦିନ ଶୁକ୍ରବାର ମଧ୍ୟାହ୍ନ ସମୟ । ଶଙ୍ଖଚିଲାର ଦକ୍ଷିଣକୁ ଥିବା ଶ୍ମଶାନ, ବର୍ତ୍ତମାନର ବରେଇପଡିଆରେ ଏକ ଆଚମ୍ବିତ ଘଟଣା ଲୋକମାନେ ଦେଖିବାକୁ ପାଇଲେ । ହଠାତ୍ ଏକ ଚାଲୁଣୀ ସଦୃଶ ନିଆଁହୁଳା ଆକାଶରୁ ଖସି ଶ୍ମଶାନରେ ଭ୍ରମଣ କରିବାକୁ ଲାଗିଲା। ଅପରାହ୍ନରେ ଉଦୟପାଟଣାର ସପନି ସାହୁଙ୍କ ଘରେ ଏକ ଅଗ୍ନିପିଣ୍ଡୁଳା ପ୍ରବେଶ କରି ଚତୁଃପାର୍ଶ୍ଵକୁ ଧୂଆଁମୟ କରିଦେଲା । ହଠାତ୍ ରାଧାନଗର ପାଟଣାର ରାଧୁସାହୁଙ୍କ ଘରେ ନିଆଁ ଦେଖାଦେଲା । ତାପରେ ଗୋଡିପାଟଣାର ମଣି ସାହୁଙ୍କ ଘର ଓ ବଢ଼େଇଟିକରର ନାଉ ସାହୁଙ୍କ ଘର ଜଳିବାକୁ ଲାଗିଲା । ଏହିପରି ଭାବରେ ତତ୍କାଳୀନ ଗ୍ରାମବାସୀଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ୧୯୨୯ ଓ ୧୯୩୦ ମସିହା ବୈଶାଖ ମାସରେ ଶଙ୍ଖଚିଲାର ୧୨ ପାଟଣାରେ ପ୍ରାୟ ପ୍ରତ୍ୟେକଙ୍କ ଗୃହରେ ସ୍ଵତଃ ଅଗ୍ନି ସଂଯୋଗ ହୋଇ ଏକ ଭୟାବହ ବାତାବରଣ ସୃଷ୍ଟି ହୋଇଥିଲା ।
ଉଦୟପାଟଣା ଗ୍ରାମର ଚାରୁ ବେୱାଙ୍କୁ ଶଙ୍ଖଚିଲାରେ ମା' ହିଙ୍ଗୁଳାଙ୍କ ଆବିର୍ଭାବ ସମ୍ବନ୍ଧରେ ସ୍ଵପ୍ନାଦେଶ ହେଲା । ସେତେବେଳର ମୁଖ୍ୟ ବ୍ୟକ୍ତିମାନଙ୍କ ସମ୍ମୁଖରେ ସେ ସ୍ଵପ୍ନାଦେଶ କଥା ବର୍ଣ୍ଣନା କଲେ । ୧୯୩୦ ମସିହା ଠାରୁ ମା’ ହିଙ୍ଗୁଳାଙ୍କ ପୂଜା ବିଧୂମତେ ଆରମ୍ଭ ହେଲା । ମା' ହିଙ୍ଗୁଳାଙ୍କ ପ୍ରତି ପ୍ରତ୍ୟେକଙ୍କର ବିଶ୍ଵାସ ଓ ଭରସା ସୃଷ୍ଟି ହେଲା । ଏହା ଏକ କାହାଣୀ ଭଳି ଜଣାଯାଉଥିଲେ ମଧ୍ୟ ଏକ ନିରାଟ ସତ୍ୟ ଘଟଣା । ତାପରେ ଶଙ୍ଖଚିଲାର ୧୨ ପାଟଣା ଓ ଆଖପାଖ ଗ୍ରାମର ମୁଖ୍ୟ ବ୍ୟକ୍ତିମାନଙ୍କୁ ନେଇ 'ହିଙ୍ଗୁଳା କମିଟି' ଗଠିତ ହେଲା । ଆଜି କେବଳ ଶଙ୍ଖଚିଲାର ୧୨ ପାଟଣାର ଗ୍ରାମ ମୁଖ୍ୟ ଓ ସଦସ୍ୟମାନଙ୍କୁ ନେଇ ହିଙ୍ଗୁଳା କମିଟି କାର୍ଯ୍ୟ କରୁଛି । ହିଙ୍ଗୁଳା କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିଙ୍ଗୁଳାଙ୍କର ସମସ୍ତ ନୀତିକାନ୍ତି, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ବାର୍ଷିକ ଯଜ୍ଞେ।ତ୍ସବ ତଥା ହିଙ୍ଗୁଳା ଯାତ୍ରା ପରିଚାଳିତ ହେଉଛି ।
ମା’ ହିଙ୍ଗୁଳା ଅଗ୍ନି ସ୍ଵରୂପିଣୀ । ତାଙ୍କର ନିର୍ଦ୍ଦିଷ୍ଟ ମୂର୍ତ୍ତି ବା ରୂପ କଳ୍ପ ନାହିଁ । ସେ ବଟବୃକ୍ଷ ବାସିନୀ । ମା’ ହିଙ୍ଗୁଳାଙ୍କର ପ୍ରିୟଭୋଗ ବା ଆସ୍ଵାଦନ ହେଲା ଘିଅ ଓ ନଡିଆ । ସେଥିରେ ମା’ଙ୍କର ପରିତୃପ୍ତିଥାଏ । ଯଜ୍ଞ ବା ଘୃତାହୁତିରେ ମା ସନ୍ତୋଷ ଲାଭ କରନ୍ତି । ଶଙ୍ଖଚିଲାର ହିଙ୍ଗୁଳା ପୀଠ ସର୍ବଜନ ବିଦିତ । ତାର ପରିବେଶ ନିଆରା ଅନୁଭବୀ ହିଁ ତାକୁ ହୃଦୟଙ୍ଗମ କରି ପାରିବ । ଏହା ଜନମାନସରେ ଭକ୍ତି, ଶ୍ରଦ୍ଧା ଓ ଅତୁଟ ବିଶ୍ଵାସରେ ପରିପୂର୍ଣ୍ଣ ହୋଇ ରହିଛି ।
ଶଙ୍ଖଚିଲା ହିଙ୍ଗୁଳା ପୀଠର ଏକ ସ୍ଵତନ୍ତ୍ରତା ରହିଛି । ନିର୍ଦ୍ଦିଷ୍ଟ କୌଣସି ଚାନ୍ଦାରେ ଅନୁଷ୍ଠାନର ଖର୍ଚ୍ଚ ବହନ କରାଯାଏ ନାହିଁ । ଏ ଅଞ୍ଚଳ ତଥା ରାଜ୍ୟ ଓ ରାଜ୍ୟ ବାହାରୁ ମା’ହିଙ୍ଗୁଳା ବିଶ୍ଵାସୀ ଭକ୍ତମାନଙ୍କର ଦାନର ସୁଅ ଛୁଟେ । ଏହାର ସ୍ୱଚ୍ଛତା ଶତପ୍ରତିଶତ ବଜାୟ ରହେ । ସେଥିପାଇଁ ମା' ହିଙ୍ଗୁଳାଙ୍କ ଯାତ୍ରା ବେଳକୁ ଏକ ସୁଦୃଶ୍ୟ ଜମାଖର୍ଚ୍ଚ ବିବରଣୀ ପୁସ୍ତକ ଛପା ହୋଇ ବିନା ମୂଲ୍ୟରେ ବିତରଣ ହେଉଛି ।
ଶଙ୍ଖଚିଲାର ପ୍ରତିଟି ଅନୁଷ୍ଠାନ ମା’ ହିଙ୍ଗୁଳାଙ୍କ ନାମରେ ନାମିତ । ଶଙ୍ଖଚିଲାର ସମୃଦ୍ଧି, ପ୍ରଗତି, ବିକାଶ ଓ ସଂସ୍କୃତି କେବଳ ମା’ଙ୍କର ଅପାର କରୁଣାରୁ ସମ୍ଭବ ହୋଇ ପାରିଛି । ଶଙ୍ଖଚିଲାର ପରିଚୟ ଓ ବିଶେଷତ୍ଵ ମା’ ହିଙ୍ଗୁଳାଙ୍କ ନିମିତ୍ତ ସମ୍ଭବ ହୋଇଛି । ସର୍ବଦା ଜନମାନସରେ ଶଙ୍ଖଚିଲାର ହିଙ୍ଗୁଳା ପୀଠ ଉଜ୍ଜୀବିତ ହୋଇ ରହିଛି ଓ ରହିଥିବ ।
ବିଷ୍ଣୁ ଚରଣ ସାହୁ
ଗୋଡିପାଟଣା, ଶଙ୍ଖଚିଲା, ଯାଜପୁର
Post a Comment